ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି।ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ରୋମାଞ୍ଚକର ପ୍ରତ୍ୟାବର୍ତ୍ତନ କରି ଆୟୋଜକ ଚୀନକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି।
କୁଶାଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣି ରତ୍ନମ ଥିରୁମୁରୁଙ୍କୁ ନେଇ ଗଠିତ ଭାରତୀୟ ତୀରନ୍ଦାଜୀ ଦଳ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶକ୍ତିଶାଳୀ ଚୀନକୁ ୨୩୮-୨୩୭ ପଏଣ୍ଟରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତ ଆଇଚି-ନାଗୋୟାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ଜିତି ନିଜର ଆଧିପତ୍ୟ ବଜାୟ ରଖିଛି।
ଫାଇନାଲ ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ଥିଲା। ଆରମ୍ଭରୁ ଭାରତୀୟ ଦଳ ପଛୁଆ ଥିଲା ଏବଂ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୫୮-୬୦ରେ ପଛରେ ପଡ଼ିଥିଲା। ଦ୍ୱିତୀୟ ରାଉଣ୍ଡରେ ୬ଟି କ୍ରମାଗତ ପରଫେକ୍ଟ ୧୦ ସ୍କୋର କରିବା ସତ୍ତ୍ୱେ ବ୍ୟବଧାନ ବଢ଼ି ୧୧୮-୧୨୦ ହୋଇଯାଇଥିଲା। କିନ୍ତୁ କୌଣସି ଚାପର ବଶବର୍ତ୍ତୀ ନହୋଇ ଭାରତୀୟ ତ୍ରିମୂର୍ତ୍ତୀ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବ୍ୟବଧାନକୁ ୧୭୮-୧୭୯ରେ ସୀମିତ ରଖିଥିଲେ।
ମ୍ୟାଚର ଶେଷ ମୁହୂର୍ତ୍ତରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଚାପରେ ଆସି ଚୀନର ତୀରନ୍ଦାଜ ଜିଆହାଓ ଲିଆଓ ୮ ସ୍କୋର କରିଥିଲେ। ଏହାର ଫାଇଦା ଉଠାଇ ଭାରତୀୟ ତୀରନ୍ଦାଜମାନେ ଶେଷ ୬ଟି ସଟ୍ରେ କୌଣସି ଭୁଲ ନକରି ୨୩୮ ପଏଣ୍ଟ ହାସଲ କରିଥିଲେ ଏବଂ ଗୋଟିଏ ପଏଣ୍ଟ ବ୍ୟବଧାନରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

0 Comments