ଘଟଣାଟି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମରେ ଘଟିଛି। ଅଭିଯୋଗ ଅନୁସାରେ, ନୂଆସାହିରେ ଚାଲିଥିବା ଫେଭର ବ୍ଲକ୍ ରାସ୍ତା କାମର ମାନକୁ ନେଇ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅ ପ୍ରତିବାଦ କରିବା ସହ କାମର ଫଟୋ ଉଠାଉଥିଲେ। ଏହାକୁ ନେଇ କିଛି ଯୁବକଙ୍କ ସହ ବଚସା ହେବା ପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଲୁହା ରଡ୍ ଓ ଠେଙ୍ଗାରେ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ସେମାନଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ନାଏବ ସରପଞ୍ଚ ଅଭିମନ୍ୟୁ ମହାପାତ୍ର ବିଜୁ ଜନତା ଦଳ ସମର୍ଥକ ହୋଇଥିବା ବେଳେ, ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିମାନେ ବିଜେପି ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସମର୍ଥକ ବୋଲି ସୂଚନା ମିଳିଛି। ତେବେ ଏହି ଅଭିଯୋଗର ସ୍ୱାଧୀନ ପୁଷ୍ଟି ହୋଇନାହିଁ। ଘଟଣା ପରେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ ପହଞ୍ଚି ଆହତଙ୍କୁ ପଚରାଉଚରା କରିବା ସହ ଛାନଭିନ୍ ଆରମ୍ଭ କରିଛନ୍ତି। ତେବେ ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ରହିଥିବା ଜଣାପଡ଼ିଛି।
0 Comments