କୋଦଳା : ନିଜର ହକ୍ ପାଇଁ ସ୍ବାମୀଙ୍କ ଘର ଆଗରେ ଦୀର୍ଘ ୧୦ ଦିନ ଧରି ଧାରଣାରେ ବସିଛନ୍ତି ଦେବକୀ। ନିଜର ୧୦ ବର୍ଷର ପୁଅକୁ ମଧ୍ଯ ସାଙ୍ଗରେ ନେଇ ବସିଛନ୍ତି। ସେପଟେ ବାହାରି ପାରୁନି ସମାଧାନର ବାଟ। ଶୁକ୍ରବାର ଇଷ୍ଟ ଇଣ୍ଡିଆ ଜୋନାଲ୍ ବୋର୍ଡ ର ମାନବାଧିକାର କାଉନସିଲ ମହିଳା ସଭାନେତ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କ ସମେତ ଦେବକୀଙ୍କ ଓକିଲ ଘଟଣା ସ୍ଥଳରେ ପହଁଞ୍ଚି ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କେ ନୂଆଗାଁ ବୁରୁଝୁରୀ ଗାଁ ରେ କେ ଦେବକୀ ଆଚାରି ନାମକ ଜଣେ ମହିଳା ନିଜର ୧୦ ବର୍ଷର ପୁଅକୁ ନେଇ ଶ୍ବଶୁର ଘର ଆଗରେ ଧାରଣା ଦେଇଛନ୍ତି। ମହିଳାଙ୍କ ସ୍ବାମୀ ତାକୁଂ ପାଖରେ ରଖୁ ନଥିବା ଏବଂ ପୋଷୁ ନଥିବା ଅଭିଯୋଗ କରିଛନ୍ତି ମହିଳା। ଖାଲି ସେତିକି ନୁହେଁ, ଏନେଇ କୋର୍ଟ ରେ ମାମଲା ରୁଜୁ ହୋଇଥିବା ବେଳେ ମହିଳା ଓ ପୁଅର ଭରଣପୋଷଣ ବାବଦରେ ୧୩ ହଜାର ଟଙ୍କା ପ୍ରତି ମାସରେ ଦେବାକୁ ସ୍ବାମୀ କେ ଶିବରାମ ଆଚାରିକୁଂ ନିଦ୍ଦେର୍ଶ ଦେଇଥିଲେ କୋର୍ଟ। ଏହାର ଅବମାନନା କରି ସ୍ବାମୀ ୧ ମାସ ଜେଲ୍ ଯାଇଥିଲେ। ବେଲ୍ ରେ ଆସି ଏବେ ଫେରାର୍ ହୋଇଯାଇଥିବା ଜଣାପଡିଛି। ଏଣୁ କୌଣସି ଅନ୍ଯ ଉପାୟ ନ ପାଇ ଶେଷରେ ବାଧ୍ୟ ହୋଇ ଧାରଣା ଦେଇଥିବା କହିଛନ୍ତି କେ ପାର୍ବତୀ ଆଚାରୀ। ଘଟଣା ସଂପର୍କରେ ଅବଗତ ହେବା ପରେ ଗଞ୍ଜାମ ଏସପି, ଜିଲ୍ଲାପାଳଙ୍କ ସହ ମାନବାଧିକାର କମିସନ ଓ ମହିଳା କମିଶନଙ୍କ ପାଖକୁ ଯିବେ ବୋଲି କହିଛନ୍ତି ମାନବାଧିକାର କାଉନସିଲର ମହିଳା ସଭାନେତ୍ରୀ। ଅନ୍ଯ ପଟେ ଧାରା ୧୭ ଅନୁସାରେ ମହିଳା ନିଜ ଶ୍ବଶୁର ଘର ଆଗରେ ଧାରଣା ଦେଇ ପାରିବେ ବୋଲି କହିଛନ୍ତି ଦେବକୀଙ୍କ ଓକିଲ। ଶୀତ କାକରରେ ମହିଳା ଓ ପୁଅ ଦୀର୍ଘ ୧୦ ଦିନ ଧରି ଧାରଣାରେ ବସିଥିବା ବେଳେ ଏହାର ସମାଧାନ ତୁରନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

0 Comments