ଛତ୍ରପୁର, ୧୭/୧୧: ଖବର ପ୍ରକାଶ ପରେ ତତ୍ପର ହେଲା ପୌର ପ୍ରଶାସନ। ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ଦ୍ଧାରିତ ଅର୍ଥ ପୈଠ କରିଥିଲେ ମଧ୍ୟ ନୂତନ ଭେଣ୍ଡିଂ ଜୋନ୍ର ଦୋକାନ ଗୃହ ପାଇଁ ଅପେକ୍ଷା କରିଥିବା ବ୍ୟବସାୟୀଙ୍କୁ ଶେଷରେ ମଙ୍ଗଳବାର ଚାବି ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ପ୍ରସ୍ତୁତ ହୋଇଥିବା ଆପ୍ର କାର୍ଯ୍ୟକାରିତା ଓ ଉପଯୋଗିତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ଟଙ୍କା କୋ ଏଜେନ୍ସି କରିଲେ l କାହାର ଅନୁମତି ନେଇ ଏତେ ଟଙ୍କା ନିମନ୍ତେ l ସେହିପରି ସଫେଇ ଓ ପରିମଳ ବ୍ୟବସ୍ଥା ପରିଚାଳନା ପାଇଁ ପୌରପରିଷଦ ପକ୍ଷରୁ ତିନୋଟି ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଚୁକ୍ତି ଅନୁଯାୟୀ, ଦୈନିକ ୧୬୮ ଜଣ ସଫେଇ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହେବାକୁ ଥିବାବେଳେ ଏ ବାବଦରେ ପୌରପରିଷଦ ମାସକୁ ପ୍ରାୟ ୪୨ ଲକ୍ଷ ଟଙ୍କା ବ୍ୟୟ କରୁଛି। ଏତେ ଅର୍ଥ ବ୍ୟୟ ସତ୍ତ୍ୱେ ପରିମଳ ବ୍ୟବସ୍ଥାରେ ଆଶାନୁରୂପ ସୁଧାର ନ ଆସିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୂର୍ବରୁ ଏନ୍ଏସି ଥିବାବେଳେ ଏବେ ପୌରପରିଷଦର ମାନ୍ୟତା ପାଇଛି। କିନ୍ତୁ ମାନ୍ୟତା ପରିବର୍ତ୍ତନ ସତ୍ତ୍ୱେ ପୌରବାସୀଙ୍କ ମୌଳିକ ସମସ୍ୟାରେ ଆଶାନୁରୂପ ସମାଧାନ ହୋଇପାରିନାହିଁ। ନାଗରିକଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବାର ପ୍ରତିଶ୍ରୁତି ଏବେ ମଧ୍ୟ କାଗଜକଲମରେ ସୀମିତ ରହିଥିବା ଅଭିଯୋଗ ହେଉଛି। ବିଭିନ୍ନ ଅଞ୍ଚଳରେ ମୌଳିକ ସମସ୍ୟା ଲାଗି ରହିଥିବାରୁ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଉଛି।
ବିଶେଷକରି ଛତ୍ରପୁର ସହରର ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଆବଶ୍ୟକ ଆଲୋକୀକରଣ ବ୍ୟବସ୍ଥା ହୋଇପାରିନାହିଁ। ନୂତନ ଭାବେ ପୌରାଞ୍ଚଳରେ ସାମିଲ ହୋଇଥିବା ଗ୍ରାମଗୁଡ଼ିକରେ ନିୟମିତ ସଫେଇ ହେଉନଥିବାରୁ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ନାଳନର୍ଦ୍ଦମା ପୋତି ହୋଇ ରହିଥିବା ବେଳେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆସିପାରିନାହିଁ। ସ୍ୱଚ୍ଛ ଭାରତ ମିଶନ ଓ ପରିମଳ ବ୍ୟବସ୍ଥା ନାମରେ ବିଭିନ୍ନ ସାମଗ୍ରୀ କ୍ରୟ କରାଯାଉଥିଲେ ମଧ୍ୟ ସେଗୁଡ଼ିକର ସଠିକ୍ ଉପଯୋଗ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛି।
ଏଥିସହ ପୌରପରିଷଦରେ ବିଭିନ୍ନ ସାମଗ୍ରୀ କ୍ରୟ ଓ ଉନ୍ନୟନମୂଳକ କାର୍ଯ୍ୟରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଖୋଦ୍ ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ଏକାଧିକ କାଉନସିଲର ଇଓଙ୍କ ମନମୁଖି କାର୍ଯ୍ୟ ଓ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ ଉଠାଇଛନ୍ତି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ସହ ଏକ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମଧ୍ୟ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି।
ସେହିପରି ଖେଳପଡ଼ିଆର ରକ୍ଷଣାବେକ୍ଷଣ ଓ ସଫେଇ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି। ଯୁବପିଢ଼ି ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ଉପଯୁକ୍ତ ଖେଳ ପରିବେଶ ସୃଷ୍ଟି କରିବାରେ ପୌର ପ୍ରଶାସନର ଉଦାସୀନତାକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି।
ଏନ୍ଏସିରୁ ପୌରପରିଷଦକୁ ରୂପାନ୍ତରଣ ପରେ ପ୍ରଶାସନିକ ଦାୟିତ୍ୱ ହସ୍ତାନ୍ତର ଓ ପରିଚାଳନାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଥିବା ଅଭିଯୋଗ ହେଉଛି। ପୌରପରିଷଦର ସୁଚାରୁ ପରିଚାଳନା ନିମନ୍ତେ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପ୍ରଶାସନିକ ମୁଖ୍ୟ ଦାୟିତ୍ୱ ଦେବା ସହ ଆବଶ୍ୟକ ସଂଖ୍ୟକ ଅନ୍ୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କରିବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।
ସମସ୍ୟା ଲାଗି ରହିବା ଓ ତାହାର ସମାଧାନ ନ ହେବା ଘଟଣା ଆଗାମୀ ଦିନରେ ରାଜନୈତିକ ଚର୍ଚ୍ଚାକୁ ମଧ୍ୟ ପ୍ରଭାବିତ କରିପାରେ। ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପୌରବାସୀଙ୍କ ସମସ୍ୟା ଓ ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେବା ଆବଶ୍ୟକ। ସାମଗ୍ରିକ ବିକାଶ ଓ ନାଗରିକଙ୍କୁ ଉନ୍ନତ ସେବା ଯୋଗାଣ ନିମନ୍ତେ ପୌର ପ୍ରଶାସନ, ଜିଲ୍ଲା ପ୍ରଶାସନ, ସମ୍ପୃକ୍ତ ବିଭାଗ ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ଉଠିଥିବା ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା। ତେଜ୍ ଓଡିଶା

0 Comments