Tej Odisha News

ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ହୀନସ୍ତା ! ଜିନିଷ ଫିଙ୍ଗିବାଠୁ ପାଣି ମାଡ଼ ଯାଏଁ ଅଭିଯୋଗ

ପୁରୀ (୨୬/୧୦ /୨୦୨୨) ଧର୍ମମାସ କାର୍ତ୍ତିକ ଆରମ୍ଭ ହେବା ସହ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ପୁଣ୍ୟ ଅର୍ଜନ ଆଶାରେ ଦୂରଦୂରାନ୍ତରୁ ପୁରୀ ଆସିଛନ୍ତି ହଜାର ହଜାର ହବିଷ୍ୟାଳି। ଭୋରୁ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ରାଧାଦାମୋଦର ପୂଜା କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହବିଷ୍ୟାଳି।

ହେଲେ ଏହାରି ଭିତରେ ବୃନ୍ଦାବତୀ ନିବାସ ହବିଷ୍ୟାଳି କେନ୍ଦ୍ରକୁ ନେଇ ଉଠିଛି ଅଭିଯୋଗ। କିଛି ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ନମିଳିବାରୁ ସେମାନେ ରାତିରେ ଫାଟକ ବାହାରେ ରହିଥିବା ଅଭିଯୋଗ କରିଛନ୍ତି। ଏପରିକି ଘଉଡ଼ାଇବା ପାଇଁ ପାଣି ମାଡ଼ କରାଯିବା ସହ ପୋଲିସ ଠେଲାପେଲା କରିଥିବା ମଧ୍ୟ କିଛି ହବିଷ୍ୟାଳି ଅଭିଯୋଗ କରିଛନ୍ତି।

ବୟସ ୬୦ରୁ ୮୦ ବର୍ଷ। ଏତେ ବୟସରେ ମଧ୍ୟ ଭକ୍ତି ଓ ଆସ୍ଥା ନେଇ ଶ୍ରୀକ୍ଷେତ୍ର ଆସିଥିବା ବୃଦ୍ଧା ହବିଷ୍ୟାଳିଙ୍କ ଏଭଳି ଅଭିଯୋଗ ଏବେ ଚର୍ଚ୍ଚାରେ। କିଏ ଜିନିଷପତ୍ର ଫିଙ୍ଗି ଦିଆଯାଇଥିବା କହୁଛନ୍ତି ତ ଆଉ କିଏ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ହବିଷ୍ୟାଳିଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩ଟି କେନ୍ଦ୍ରରେ ରହଣୀ, ଖାଦ୍ୟପାନୀୟ ଓ ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ପାଣି ମାଡ଼ କିମ୍ବା ଜିନିଷପତ୍ର ଫିଙ୍ଗାଫୋପଡ଼ା ଅଭିଯୋଗକୁ ପୁରୀ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ଅଣପଞ୍ଜିକୃତ ହବିଷ୍ୟାଳି ବୃନ୍ଦାବତୀ ନିବାସରେ ରହିବାକୁ ଜିଦ୍ କରିଥିବା ସେ କହିଛନ୍ତି।

ଆଜିଠାରୁ ନଭେମ୍ବର ୨୪ ଯାଏଁ ଚାଲିବ ହବିଷ ବ୍ରତ। ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ, ମାଗଣା ମହାପ୍ରସାଦ ଏବଂ ବସ୍ ଯୋଗେ ଶ୍ରୀମନ୍ଦିର ଦର୍ଶନର ବ୍ୟବସ୍ଥା ହୋଇଛି। ଏହାସହ ଶିବିର ବାହାରେ ହବିଷ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି

Post a Comment

0 Comments