ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କଟରାୟପୁର ଗ୍ରାମରେ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ କେ. ଭେଙ୍କଟେଶ (୩୯) ଓ କେ. କିରଣ କୁମାର ଓରଫ କମାୟା (୨୯)। ଉଭୟଙ୍କ ଘର ଭେଙ୍କଟରାୟପୁର ଗ୍ରାମରେ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟାରେ ଜଣେ ବ୍ୟକ୍ତି ଓ ଅଭିଯୁକ୍ତ କେ. ଭେଙ୍କଟେଶଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଭେଙ୍କଟେଶ ଓ କିରଣ କୁମାର ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଲୁହାର ବଳୟ ଆକୃତିର ଅସ୍ତ୍ର ‘ବୋଲହା’ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି।
ଏନେଇ ଗୋପାଳପୁର ଥାନାରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରି ଆକ୍ରମଣରେ ବ୍ୟବହୃତ ଅସ୍ତ୍ର ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ୨୭ ତାରିଖ ସକାଳେ ଗିରଫ କରିଛି। ପରେ ସେମାନଙ୍କୁ ବ୍ରହ୍ମପୁର JMFC (R) ଅଦାଲତକୁ ପଠାଯାଇଛି।

0 Comments