ଛତ୍ରପୁର, ୨୩/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସୋମବାର ଜିଲା ଗସ୍ତରେ ଆସି କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ସରକାରୀ ରିପୋର୍ଟ ନୁହେଁ, ବରଂ ନିଜେ ଚାଷଜମିକୁ ଯାଇ ବନ୍ୟାର ବାସ୍ତବ ଚିତ୍ର ଦେଖିବା ସହ ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟା ଶୁଣିଥିଲେ। ଜଳମଗ୍ନ ଧାନକ୍ଷେତରେ ଠିଆ ହୋଇ ଫସଲ କ୍ଷୟକ୍ଷତିର ସ୍ଥିତି ପରଖିବା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି।
ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ୍ର ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ଜଳମଗ୍ନ ଚାଷଜମି ପରିଦର୍ଶନ କରିଥିଲେ। ବନ୍ୟାଜଳରେ ବୁଡ଼ି ରହିଥିବା ଫସଲର ସ୍ଥିତି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଚାଷୀମାନେ ନିଜର ଚାଷଜମି, ଫସଲ ନଷ୍ଟ ଓ ଆର୍ଥିକ କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।ଏହାପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ବ୍ଲକ୍ର ବଉଳଗାଁ ନିକଟସ୍ଥ ଚାରିଛକରେ ପହଞ୍ଚି ଧାନକ୍ଷେତ ପରିଦର୍ଶନ କରିଥିଲେ। ସେଠାରେ ମଧ୍ୟ ବନ୍ୟାଜଳରେ ପ୍ରଭାବିତ ଚାଷଜମିର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ପରିମାଣ ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।
କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗଞ୍ଜାମ ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments