ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଘନଘନ ବୈଠକ କରି ସ୍ଥିତିର ସମୀକ୍ଷା କରୁଥିବା ବେଳେ ଜିଲ୍ଲା ପରିଷଦ ସିଡିଓ ସମୀର କୁମାର ଜେନା ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାର ୭୦୦ଟି ବିପଦପୂର୍ଣ୍ଣ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୋଜନା ହୋଇଛି। ଏହି କ୍ରମରେ ସିଡିଓ ସମୀର ଜେନା ଗଞ୍ଜାମ ବ୍ଲକର ସନ୍ତୋଷପୁର, ବରପଲ୍ଲୀ ସମେତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ କରିଥିଲେ। ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥାର ତଦାରଖ କରିଥିଲେ।
ସେହିପରି ବାତ୍ୟା ଓ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ପାଇଁ ଶୁଖିଲା ଖାଦ୍ୟ ପ୍ୟାକିଂ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି କାର୍ଯ୍ୟର ତଦାରଖ କରିବା ସହ ସିଡିଓ ଶ୍ରୀ ଜେନା ନିଜେ ଖାଦ୍ୟ ପ୍ୟାକିଂରେ ସାମିଲ ହୋଇଥିଲେ। ଏଥିସହ ପ୍ୟାକିଂର ଗୁଣବତ୍ତା ଓ ପ୍ରକ୍ରିୟା ମଧ୍ୟ ଯାଞ୍ଚ କରିଥିଲେ।
ଅନ୍ୟପଟେ ଗଞ୍ଜାମ ବ୍ଲକରେ ଏବେ ସୁଦ୍ଧା ୧୪୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ଆଉ କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ସେନେଇ ବିଡିଓ ଅଚ୍ୟୁତାନନ୍ଦ ଜାନୀ ଓ ତହସିଲଦାର ସୁକାନ୍ତ କୁମାର ମିଶ୍ରଙ୍କ ସହ ସିଡିଓ ଆଲୋଚନା କରିଥିଲେ।
ତେବେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଜାରି ରହିଛି। ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ସହାୟତାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ ରହିଛି ପ୍ରଶାସନ।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments