ଛତ୍ରପୁର, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏସ୍ପି ହରିଶ ବିଶି ଉପକୂଳବର୍ତ୍ତୀ ଅଞ୍ଚଳ ଓ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପୋଲିସର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କ ସହ ଆଲୋଚନା କରିବା ସହ ସେଠାରେ ଉପଲବ୍ଧ ମୌଳିକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ବାତ୍ୟା ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ଥାନା ଅଧିକାରୀଙ୍କୁ ଏସ୍ପି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବୟସ୍କ, ମହିଳା, ଶିଶୁ ଓ ଅନ୍ୟ ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ, ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ, ଯାନବାହନ ଚଳାଚଳ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ସହାୟତା ନିମନ୍ତେ ଆସୁଥିବା ଫୋନ୍ କଲ୍ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।
ବାତ୍ୟାର ପ୍ରଭାବ ହ୍ରାସ ନପାଇବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ସଜାଗ ରହିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ଯୋଗାଣ ଉପରେ ନଜର ରଖିବେ।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments