କଟକ(୨୮/୧୦/୨୦୨୬)
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଛି ହାଇକୋର୍ଟଙ୍କ ଆଶ୍ୱସ୍ତି। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଜାରି ହୋଇଥିବା ନୋଟିସ୍କୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ରାୟ ପରେ ଚାମେଲି ଓଝାଙ୍କ ସରପଞ୍ଚ ପଦ ବଜାୟ ରହିବା ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସ୍ତାବ ନୋଟିସ୍ ଜାରି ଓ ଏ ସମ୍ପର୍କିତ ବୈଠକ ଆୟୋଜନରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଏବଂ ସମ୍ପୃକ୍ତ ନିୟମାବଳୀର ଉଲ୍ଲଂଘନ ହୋଇଥିବା ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।
ଏହି ମାମଲାର ଶୁଣାଣି ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ହୋଇଥିଲା। ଅଗଷ୍ଟ ୧୧ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ପୂର୍ବ ଶୁଣାଣି ସମୟରେ ଅନାସ୍ଥା ଭୋଟିଂ ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ତେବେ ନ୍ୟାୟାଳୟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଭୋଟିଂର ଫଳାଫଳ ଘୋଷଣା ନକରିବାକୁ କୁହାଯାଇଥିଲା।
ଶେଷରେ ଚାମେଲି ଓଝାଙ୍କ ସପକ୍ଷରେ ରାୟ ଆସିବା ସହ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ରଦ୍ଦ ହୋଇଛି। ଫଳରେ ତିଖିରି ପଞ୍ଚାୟତର ସରପଞ୍ଚ ଭାବେ ଚାମେଲି ଓଝା ନିଜ ପଦରେ ରହିବେ। ହାଇକୋର୍ଟଙ୍କ ଏହି ରାୟ ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

0 Comments