Tej Odisha News

ଖଲ୍ଲିକୋଟରେ ଗୋଷ୍ଠୀ ବିବାଦରୁ ରକ୍ତାକ୍ତ ସଂଘର୍ଷ! ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

 


ଖଲ୍ଲିକୋଟ (୨୮/୧୦/୨୦୨୬) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଗୋଷ୍ଠୀ ବିବାଦକୁ ନେଇ ଉତ୍ତେଜନା। ଦୁଇ ଯୁବକଙ୍କ ମଧ୍ୟରେ ବଚସାରୁ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେଇଥିବା ବେଳେ ଖଣ୍ଡା ଚୋଟରେ ତିନି ଜଣ ଯୁବକ ଗୁରୁତର ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁତର ଯୁବକମାନଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଖଲ୍ଲିକୋଟ ବାକୁଟୁ ଗାଁରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ତୀବ୍ର ହୋଇଥିଲା। ଖଲ୍ଲିକୋଟର ବାଗଲପୁର ଅଞ୍ଚଳରେ ସେହି ଗୋଷ୍ଠୀର ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହି ବିବାଦ ହଣାକଟାର ରୂପ ନେଇଥିବା ଜଣାପଡ଼ିଛି।

ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ ସୂଚନା ମିଳିଛି। ଏହି ସଂଘର୍ଷରେ ଖଣ୍ଡା ଚୋଟରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ମାନେ ହେଲେ ବାକୁଟୁ ଗାଁ ର ବାବୁ ପ୍ରଧାନ, ତେନ୍ତୁଳିଆ ଗାଁର ରାକେଶ ପଳେଇ, ପାରି ନୂଆଁ ଗାଁ ର ଭାସ୍କର ପ୍ରଧାନ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।

ତେବେ ଏହି ହଣାକଟା ପଛରେ ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ଖଲ୍ଲିକୋଟ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ପରେ ହିଁ ବିବାଦର ପ୍ରକୃତ କାରଣ ସାମ୍ନାକୁ ଆସିବ।

ରିପୋର୍ଟ: ତେଜ୍ ଓଡ଼ିଶା

Post a Comment

0 Comments