ବ୍ରହ୍ମପୁର: (୨୮/୧୦/୨୦୨୬) ଏପଟେ ବାତ୍ୟା ଅର୍ଣ୍ଣବ ଲ୍ୟାଣ୍ଡଫଲ୍ କରିବା ପ୍ରକ୍ରିୟା ଆରମ୍ଭ ସାଙ୍ଗକୁ, ସେପଟେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି । ଏଣେ ତୁହାକୁ ତୁହା ବର୍ଷା ସାଙ୍ଗକୁ ସୁ ସୁ ପବନ ବହୁଥାଏ, ହେଣେ ଅସହ୍ୟ ପ୍ରସବ ପୀଡ଼ା... ଏହା ଭିତରେ ଜନ୍ମ ନେଲା ପୁତ୍ର ସନ୍ତାନ । ବାତ୍ୟା ଅର୍ଣ୍ଣବ ସମୟରେ ଛୁଆଟି ଜନ୍ମ ହୋଇଥିବାରୁ ଶିଶୁଟିର ନାମକରଣ କରାଗଲା 'ଅର୍ଣ୍ଣବ' ।
ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଭଳି ସମୟରେ ଗଞ୍ଜାମର ୪୨୬ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୦୦ ଜଣ ମାଆ ସୁରକ୍ଷିତ ଭାବରେ ସନ୍ତାନ ପ୍ରସବ କରିଛନ୍ତି । ଜିଲ୍ଲାର ପାତ୍ରପୁର ଅଞ୍ଚଳର ବୁରାତାଲ ପଞ୍ଚାୟତର ଦୁର୍ଗମ ଅଞ୍ଚଳରୁ ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଥିବା ଶିଶୁ ପୁତ୍ରର ନାମ ରଖାଯାଇଛି 'ଅର୍ଣ୍ଣବ' ।
ବାତ୍ୟା ଏବଂ ଲଗାଣ ବର୍ଷା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ କିଭଳି ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ତାହାକୁ ପ୍ରାଥମିକତା ଦିଆଯାଇଥିଲା । ଏ କ୍ଷେତ୍ରରେ ଜିଲ୍ଲାର ପାତ୍ରପୁର ବ୍ଲକରେ ପାଖାପାଖି ୨୮ ଜଣ ଗର୍ଭବତୀଙ୍କୁ ସ୍ଥାନୀୟ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର (CHC)ରେ ଭର୍ତ୍ତି କରାଇଥିଲା ।
ରିପୋର୍ଟ :ତେଜ୍ ଓଡିଶା

0 Comments