Tej Odisha News

୪୯ ସେକେଣ୍ଡରେ ବଦଳିଗଲା ବାଜି: ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଲଢ଼େଇରେ ଭାରତ

Asian Games 2026: ମ୍ୟାଚ୍‌ ସାରିବାକୁ ଥିଲା ମାତ୍ର ୪୯ ସେକେଣ୍ଡ। ସ୍ଥିତି ଥିଲା ୩-୩। ଲାଗୁଥିଲା ଭାରତ-ପାକିସ୍ତାନ ମ୍ୟାଚ୍‌ ଶୁଟ ଆଉଟ୍‌କୁ ଯିବ। ଶୁଟ୍‌ ଆଉଟ ପରେ ଏସିଆନ ଗେମ୍ସ ୨୦୨୬ ପୁରୁଷ ହକିର ଫାଇନାଲରେ କିଏ ପ୍ରବେଶ କରିବ ସେକଥା ଜଣାପଡ଼ିବ।
ହେଲେ ନାଟକୀୟ ଢଙ୍ଗରେ ବଦଳିଥିଲା ମ୍ୟାଚ୍‌ର ମୋଡ। ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ କରିଥିଲା କମାଲ। ଅଭିଷେକଙ୍କ ଦମଦାର ଫିଲ୍ଡ ଗୋଲ ହଠାତ୍‌ ସବୁ କିଛି ବଦଳାଇ ଦେଇଥିଲା।

୪୯ ସେକେଣ୍ଡ ପୂର୍ବରୁ ସେ ପାକିସ୍ତାନ ହାତରୁ ଛଡ଼ାଇ ଆଣିଛନ୍ତି ବିଜୟ। ଶେଷରେ ଭାରତ ୪-୩ରେ ସେମି ଫାଇନାଲ ମ୍ୟାଚ ଜିତି ସ୍ୱର୍ଣ୍ଣ ଲଢ଼େଇରେ ପ୍ରବେଶ କରିଛି। ଦୀର୍ଘ ୧୦ ବର୍ଷ ମଧ୍ୟରେ ପାକିସ୍ତାନ କେବେ ବି ଭାରତକୁ ହରାଇ ନଥିଲା।
କିନ୍ତୁ ଆଜି ଦଳ ଭାରତ ଉପରେ ଚାପ ପକାଇ ମ୍ୟାଚ୍‌କୁ ଡ୍ର ଆଡ଼କୁ ନେଇ ଯାଇଥିଲା। ହେଲେ ଠିକଣା ସମୟରେ ଏସିଆନ ଗେମ୍ସର ଡିଫେଣ୍ଡିଂ ଚାମ୍ପିୟନ ଭାରତ କମବ୍ୟାକ କରି ପାରିଛି। 

ଆଜିର ମ୍ୟାଚ୍‌ ଆରମ୍ଭରୁ ଭାରତ ନିଜର ଜଳୱା ଦେଖାଇଥିଲା। ପ୍ରଥମ କ୍ୱାର୍ଟରରେ ଦଳ ୨ଟି ଗୋଲ ପେନାଲ୍ଟି କର୍ଣ୍ଣରରୁ ହାସଲ କରିଥିଲା। ମ୍ୟାଚ୍‌ର ୫ମ ଓ ୧୩ତମ ମିନିଟ୍‌ରେ ଦଳର ଅଧିନାୟକ ହରମନପ୍ରୀତ ସିଂହ ଗୋଲ ସ୍କୋର କରିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ନିଜର ଦବାଦବା ଦେଖାଇଥିଲା। ମ୍ୟାଚ୍‌ର ୨୩ତମ ମିନିଟରେ ସୁଖଜିତ ସିଂହ ଫିଲ୍ଡ ଗୋଲରୁ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ହାଫ ଟାଇମ ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା। 

ହେଲେ ହାଫ ଟାଇମ ପରେ ପାକିସ୍ତାନ ସତେ ଯେମିତି ନୂଆ ଜୋଶ ଓ ରଣନୀତି ସହ ସାମ୍ନାକୁ ଆସିଥିଲା। ୩୦ତମ ମିନିଟରେ ହିଁ ଭାରତର ରକ୍ଷଣ ଭାଗକୁ ଭେଦ କରି ପାକିସ୍ତାନ ପାଇଁ ମ୍ୟାଚ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ ଅବୁ ମହମ୍ମଦ।

ଏହାପରେ ଦଳକୁ ମିଳିଥିବା ପିସିକୁ ୪୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ ଏଚ୍‌ ଶାହିଦ। ସ୍ଥିତିକୁ ପାକିସ୍ତାନ ୨-୩ କରିବା ପରେ ଘନଘନ ଆକ୍ରମଣ କରିଥିଲା। କିଛି ସମୟ ପାଇଁ ଭାରତ ପାଖରେ ସତେ ଯେମିତି ଏହାର କୌଣସି ଜବାବ ନଥିଲା।

ପାକିସ୍ତାନ ୪୯ତମ ମିନିଟରେ ୱାହିଦ ଅଶରଫ ରାଣାଙ୍କ ସହାୟତାରେ ତୃତୀୟ ଗୋଲ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ଏହାପରେ ବି ପାକିସ୍ତାନକୁ ଗୋଲ କରିବାର ସୁଯୋଗ ମିଳିଥିଲା। ଦଳ ପିସି ମଧ୍ୟ ପାଇଥିଲା। ହେଲେ ଭାରତର ଡିଫେନ୍ସ ବିଭାଗ ସବୁ କିଛି ଭଣ୍ଡୁର କରିଥିଲା।
ମାତ୍ର ଭାରତ ମଧ୍ୟ କାଉଣ୍ଟର ଆଟାକ କରିଥିଲା। ତଥାପି ପାକିସ୍ତାନ ୧୦ ସେକେଣ୍ଡ ପାଇଁ କିଛି ବି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ରିଭ୍ୟୁ ଦ୍ୱାରା ପାକିସ୍ତାନ ଖେଳାଳି ଭାରତକୁ ରେଫରୀ ଦେଇଥିବା ପିସିକୁ ମଧ୍ୟ ବଦଳାଇ ଦେଇଥିଲା।
ଲାଗୁଥିଲା ମ୍ୟାଚ୍‌ ଶୁଟ ଆଉଟକୁ ଯିବ। କିନ୍ତୁ ଅଭିଷେକଙ୍କ ଷ୍ଟିକରେ ବଲ ବାଜି ପାକିସ୍ତାନ ଗୋଲ ପୋଷ୍ଟକୁ ବଲ ଯିବା ମାତ୍ରେ ସ୍ଥିତି ବଦଳି ଯାଇଥିଲା। ଡ୍ର ଅଭିମୁଖେ ଯାଉଥିବା ମ୍ୟାଚ୍‌କୁ ଭାରତ ଶେଷରେ ୪-୩ରେ ଜିତି ନେଇଥିଲା। 

Post a Comment

0 Comments