Tej Odisha News

କୋଟିଆ ପରେ ଚିତ୍ରକୋଣ୍ଡାରେ ଆନ୍ଧ୍ରର ଦାଦାଗିରି!



ମାଲକାନଗିରି, ୪/୧୧ : ଖାଲି କୋଟିଆ ନୁହେଁ ଚିତ୍ରକୋଣ୍ଡାରେ ମଧ୍ୟ ଆନ୍ଧ୍ରର ସମାନ ହରକତ । ଚିତ୍ରକୋଣ୍ଡା ଧୁଳିପୁଟ ପଞ୍ଚାୟତର ଝୁମଡାଙ୍ଗ, ବାଙ୍ଗୁରସୁଧା ଓ ସୁଆପାଲ୍ଲୀ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି । ଆନ୍ଧ୍ର ପ୍ରଚାର କରିବା ପରେ ଗାଁ ଲୋକେ ଭୋଟ୍ ଦେବା ଲାଗି ଦ୍ବନ୍ଦ୍ବରେ ରହିଛନ୍ତି । ତେବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଝୁମଡାଙ୍ଗ ଗାଁ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ଝୁମଡାଙ୍ଗ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ରାଜ୍ୟ ସୀମା ଭିତରେ ରହିଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କହିଛନ୍ତି ଗୋଟିଏ ରାଜ୍ୟର ଲୋକ ଅନ୍ୟ ରାଜ୍ୟର ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବା ସମ୍ପୂର୍ଣ୍ଣ ବେଆଇନ୍ । କୌଣସି ନିର୍ବାଚନ କିମ୍ବା ଭୋଟିଂ ଆଚରଣ ବିଧିରେ ଏହା ଗ୍ରହଣୀୟ ନୁହେଁ । ଏଣୁ ସୀମାନ୍ତ ବାସିନ୍ଦାଙ୍କ ସୁରକ୍ଷା ପାଇଁ ଓଡ଼ିଶା-ଆନ୍ଧ୍ର ସୀମାରେ ବାରିକେଡ୍ ନିର୍ମାଣ ସହ ପୋଲିସ୍ ମୁତୟନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । 


ଝୁମଡାଙ୍ଗ ଓ ଧୂଳିପୁଟ ଅଞ୍ଚଳର ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆସନ୍ତା ୫ ତାରିଖରେ ଝୁମଡାଙ୍ଗଠାରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ । ଏହି ଶିବିରରେ ଓଜିଏଲଏସ୍, ବସୁନ୍ଧରା କିମ୍ବା ଅନ୍ୟାନ୍ୟ ସରକାରୀ ଯୋଜନା ମାଧ୍ୟମରେ ଭୂମିହୀନ ଲୋକଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯିବ । ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସୁଧାରିବା, ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର ଛାତ୍ରୀଙ୍କୁ ସ୍ଥାନାନ୍ତର କରିବା ଏବଂ ଅଞ୍ଚଳର ସମସ୍ତ ମୌଳିକ ସୁବିଧା ସୁଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଯୋଗାଇ ଦିଆଯିବ । ହେଲେ ଆନ୍ଧ୍ରପ୍ରଦେଶରୁ ସୁବିଧା ପାଉଥିବା ଆଦିବାସୀ ଲୋକେ ଆନ୍ଧ୍ରରେ ଭୋଟ ଦେବୁ ବୋଲି କହୁଛନ୍ତି । ତେବେ ଏହି ଗ୍ରାମବାସୀଙ୍କୁ କିଭଳି ନିର୍ବାଚନରୁ ଦୂରେଇ ରଖା ଯାଇପାରିବ ସେଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ସେହି ଗାଁକୁ ଗସ୍ତ କରିବା ସହ ଆଜି ବିଜେଡି ନେତାଙ୍କ ସହ ଅନେକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

Post a Comment

0 Comments