ଭୁବନେଶ୍ୱର (୦୫/୧୧/୨୦୨୬)
ବାତ୍ୟା ‘ଅର୍ଣ୍ଣବ’ ଓ ତା’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି।
ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ। ବିଧାୟକମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଲୋକଙ୍କ ସମସ୍ୟା ଓ ପ୍ରଭାବିତ ଭିତ୍ତିଭୂମି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଗଞ୍ଜାମ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଜିଲ୍ଲାବାସୀଙ୍କୁ କୌଣସି ସମସ୍ୟାରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏଥିସହ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ସହ ମଧ୍ୟ ଗଞ୍ଜାମ ସମେତ ସମଗ୍ର ରାଜ୍ୟର କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି।
ଅନ୍ୟପଟେ କ୍ଷତିଗ୍ରସ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ ରିଲିଫ୍ ଯୋଗାଇଦେବା ସହ ରାସ୍ତାଘାଟ, ଜଳସେଚନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ବୈଠକ ପରେ ଗଞ୍ଜାମର ବନ୍ୟା ପ୍ରଭାବିତ ଲୋକଙ୍କୁ କେବେ ଏବଂ କେତେ ପରିମାଣରେ ସହାୟତା ମିଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

0 Comments