Tej Odisha News

ନଷ୍ଟ ଧାନଗଛ ଧରି ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ: ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଦାବି କଲା ଋଷିକୂଲ୍ୟା ରୟତ ମହାସଭା



ଛତ୍ରପୁର, ୧୦/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ଆର୍ଥିକ କ୍ଷତିପୂରଣ ପ୍ୟାକେଜ୍ ପ୍ରଦାନ ଦାବିରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ଜୋରଦାର କରାଯାଇଛି। ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ନେତୃତ୍ୱରେ ଚାଷୀ ଓ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ଅବସରରେ ଚାଷୀମାନେ ବନ୍ୟାରେ ନଷ୍ଟ ହୋଇଥିବା ଧାନଗଛ ହାତରେ ଧରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଫସଲ କ୍ଷୟକ୍ଷତିର ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ। ବର୍ଷକର ପରିଶ୍ରମ ସହ ଚାଷ ପାଇଁ କରିଥିବା ଖର୍ଚ୍ଚ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ପ୍ରଚଳିତ ପୁରୁଣା ରିଲିଫ୍ କୋଡ୍ ଅନୁଯାୟୀ ମିଳୁଥିବା ସହାୟତା ଚାଷୀଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ହେଉନଥିବାରୁ ଏଥିରେ ସମୟୋପଯୋଗୀ ପରିବର୍ତ୍ତନ ଆଣିବାକୁ ମହାସଭା ଦାବି କରିଛି।

ଦାବିଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ସର୍ବନିମ୍ନ ୨୫ ହଜାର ଟଙ୍କା କ୍ଷତିପୂରଣ, ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ସମାନ ସହାୟତା, ଫସଲ ବୀମା ପ୍ରଦାନ ନିମନ୍ତେ ପ୍ରତି ଗ୍ରାମକୁ ଏକକ ଭାବେ ବିବେଚନା, ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଓ ନୂତନ କୃଷି ଋଣ ଯୋଗାଣ ଆଦି ଅନ୍ତର୍ଭୁକ୍ତ ରହିଛି।

ସେହିପରି ବନ୍ୟାରେ ଭାଙ୍ଗିଯାଇଥିବା କେନାଲ ଓ ଘାଇଗୁଡ଼ିକର ତୁରନ୍ତ ମରାମତି, କୃଷି ଶ୍ରମିକଙ୍କୁ ଗ୍ରାମାଞ୍ଚଳରେ କାମ ଯୋଗାଇବା, ରବି ଫସଲ ପାଇଁ ମୁଗ, ବିରି, ଚିନାବାଦାମ ଓ ପନିପରିବା ବିହନ ସହିତ ଜୈବିକ ସାର ରିହାତି ଦରରେ ଯୋଗାଇବାକୁ ଦାବି କରାଯାଇଛି।

ଚାଷୀଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ବିଚାର କରି ସରକାର ତୁରନ୍ତ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଋଷିକୂଲ୍ୟା ରୟତ ମହାସଭା ଦାବି କରିଛି।ଏହି ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସମାଜସେବୀ ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ ଓ ଟି. କ୍ରିଷ୍ଣା ରେଡ୍ଡୀ,ପୂର୍ଣ୍ଣଚନ୍ଦ୍ର ଦାଶ, ସୁମା ଦାଶ, ଏ. ସଞ୍ଜୀବ ରେଡ୍ଡୀ, ବିଜୟ କୁମାର ସ୍ୱାଇଁ, କାମରାଜୁ ରେଡ୍ଡୀ, ପୁନି ମହାପାତ୍ର, ବିପ୍ର ଦାସ, ପ୍ରଭାତ ପାଣିଗ୍ରାହୀ, ଇଜୁ ଆମିନ ଖାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା

Post a Comment

0 Comments