Tej Odisha News

ମୃତ୍ୟୁ ପରେ ବି ଅମର ! କିଡନୀ ଓ ଯକୃତ ଦାନ କଲେ ୧୦ ବର୍ଷୀୟା ଦିବ୍ୟାଶି ପାତ୍ର, ସ୍ବର୍ଗଦ୍ବାରରେ ଗାର୍ଡ ଅଫ୍‌ ଅନର୍‌



ପୁରୀ (୧୬/୧୧/୨୦୨୬) ମୃତ୍ୟୁ ପରେ ବି ଅମର ! କିଡନୀ ଓ ଯକୃତ ଦାନ କରି ସବୁଦିନ ପାଇଁ ଅମର ପାଲଟିଗଲେ ଗଞ୍ଜାମର ୧୦ ବର୍ଷର ଝିଅ ଦିବ୍ୟାଶି ପାତ୍ର । କୁନି ଝିଅ ମୃତ୍ୟୁ ସହ ଲଢି ସିନା ହାରିଯାଇଛି । କିନ୍ତୁ ସବୁଦିନ ପାଇଁ ଅମର ପାଲଟି ଯାଇଛି । ଗତକାଲି(ଶନିବାର) ପୁରୀ ସ୍ବର୍ଗଦ୍ବାରରେ ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲୁହଭିଜା ଆଖିରେ ଦିବ୍ୟାଶିଙ୍କୁ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ବଜନ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଚାରିଆଡେ ପ୍ରଶଂସା କରାଯାଉଛି ।

ଖବର ମୁତାବକ, ଗତ ନଭେମ୍ବର ୧ରେ ଭୁବନେଶ୍ବରର ଡମଣାହାଟ ଠାରେ ଏକ ଦୁର୍ଘଟଣାରେ ଦିବ୍ୟାଶି ଓ ତାଙ୍କ ବାପା ଗୁରୁତର ହୋଇଥିଲେ । ସେମାନେ ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ କାର ଧକ୍କା ଦେଇଥିଲା । କୁନି ଝିଅ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ତାଙ୍କ ବାପାଙ୍କ ହାତ ଭାଙ୍ଗି ଯିବାରୁ ସେ ମଧ୍ୟ ଚିକିତ୍ସିତ ଥିଲେ । ଚିକିତ୍ସା ପରେ ବାପା ସୁସ୍ଥ ହୋଇଛନ୍ତି। ହେଲେ ରୋଗୀ ଶଯ୍ୟାରେ ଜୀବନମରଣ ସହ ସଂଘର୍ଷ କରି ଶେଷରେ ଏହି କୁନି ଝିଅ କ୍ୟାପିଟାଲ ହସ୍ପିଟାଲରେ ଆରପାରିକୁ ଚାଲିଯାଇଛି।

ଦିବ୍ୟାଶି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଠାରେ ଥିବା ଡିଏଭି ସ୍କୁଲରେ ପାଠପଢ଼ୁଥିଲେ । ତାଙ୍କ ବାପା ଏଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ମା’ ମଧ୍ୟ ଶିକ୍ଷୟିତ୍ରୀ । ଏକମାତ୍ର ଶିଶୁକୁ ହରାଇ ବାପା, ମା’ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । କୁନି ଝିଅର ଅନ୍ତିମ ସଂସ୍କାର ବେଳେ ସ୍ଵର୍ଗଦ୍ଵାରରେ ଶୋକର ଛାୟା ସ୍ପଷ୍ଟ ବାରି ହୋଇପଡ଼ିଥିଲା । କୁନି ଝିଅର ବାପା ସଂଗ୍ରାମ ପାତ୍ର ଓ ମା’ ମଧ୍ଯ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ମାମୁ ଦେବବ୍ରତ ପାତ୍ର ମୁଖାଗ୍ନି ଦେଇଥିଲେ । ସ୍ବର୍ଗଦ୍ବାର ସେବା ସମିତି ପକ୍ଷରୁ ଏହି ଶିଶୁର ଶେଷକୃତ୍ୟ ନିମନ୍ତେ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିଲା । କୁନି ଝିଅର ଅବଦାନ ନିମନ୍ତେ ତାଙ୍କର ଆତ୍ମାର ସଦଗତି କାମନା ସହ ପୋଲିସ ବାହିନୀ ପକ୍ଷରୁ ସ୍ୱର୍ଗଦ୍ୱାର ଠାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସେ ସିନା ଚାଲିଗଲା । ହେଲେ ଦୁଇଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ରହିଗଲା । ଏହି ପ୍ରେରଣା, ତ୍ୟାଗ, ମାନବିକତା ଓ ମୂଲ୍ୟବୋଧର ଉଦାହରଣ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ତେବେ ଲୁହାଭିଜା ଆଖିରେ ସମସ୍ତେ ଦିବ୍ୟାଶିଙ୍କୁ ବିଦାୟ ଦେଇଛନ୍ତି । ତାଙ୍କ ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଲୋକେ କହିଛନ୍ତି, ବାଃ ବାଃ ଦିବ୍ୟାଶି । କୁନି ଝିଅର ମହତ କାର୍ଯ୍ୟ ସମସ୍ତେ ମନେ ରଖିବେ ।

Post a Comment

0 Comments