କୋଦଳା, ୧୩/୧୧/୨୦୨୬: ଏଣିକି ପେନସନ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବନି। ବୟସ ୮୦ ବର୍ଷ ହେବା ମାତ୍ରେ ସ୍ୱୟଂଚାଳିତ ଭାବେ ବୃଦ୍ଧି ହେବ ପେନସନ। ହିତାଧିକାରୀଙ୍କୁ ସୁବିଧାରେ ଓ ନିୟମିତ ଭାବେ ଭତ୍ତା ପ୍ରଦାନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏକୀକୃତ ପେନସନ ପରିଚାଳନା ପୋର୍ଟାଲ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ଏହି ପୋର୍ଟାଲର ବ୍ଲକସ୍ତରୀୟ ଶୁଭାରମ୍ଭ ସହ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ମୋଟ ୨୭୦୦ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ପ୍ରଦାନ କରାଯାଇଛି। ଅକ୍ଟୋବର ମାସଠାରୁ ଏହି ହିତାଧିକାରୀମାନଙ୍କୁ ଭତ୍ତା ମିଳିବା ଆରମ୍ଭ ହୋଇଛି।
ଏହି ନୂଆ ବ୍ୟବସ୍ଥା ଦ୍ୱାରା ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ସରଳ ଓ ସ୍ୱଚ୍ଛ ହେବା ସହ ହିତାଧିକାରୀମାନେ ନିୟମିତ ସମୟରେ ଭତ୍ତା ପାଇପାରିବେ। ବିଶେଷ କରି ୮୦ ବର୍ଷ ବୟସ ହେବା ପରେ ସ୍ୱୟଂଚାଳିତ ଭାବେ ପେନସନ ବୃଦ୍ଧି ହେବ। ଫଳରେ ଏଥିପାଇଁ ହିତାଧିକାରୀଙ୍କୁ ଆଉ ଆବେଦନ କିମ୍ବା ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ସାଂସଦ ଓ ବିଧାୟକ ପ୍ରକାଶ କରିଛନ୍ତି।
ସେହିପରି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବା ଏନ୍ଏସ୍ଏପି ଅଧୀନରେ ଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଭାଗ ଟଙ୍କା ମଧ୍ୟ ଏଣିକି ନଗଦ ଆକାରରେ ପ୍ରଦାନ କରାଯିବ। ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଜାତୀୟ ବିଧବା ଭତ୍ତା ଏବଂ ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନାର ହିତାଧିକାରୀମାନେ ଏହି ସୁବିଧା ପାଇପାରିବେ।
ଅନ୍ୟପଟେ ଯେଉଁ ନୂତନ ହିତାଧିକାରୀମାନେ ଆଜିର କାର୍ଯ୍ୟକ୍ରମରେ ଭତ୍ତା ପାଇପାରି ନାହାନ୍ତି, ସେମାନଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖରେ ନିଜ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯିବ। ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନୂତନ ହିତାଧିକାରୀମାନେ ଅନ୍ୟ ହିତାଧିକାରୀଙ୍କ ଭଳି ନିୟମିତ ଭାବେ ଭତ୍ତା ପାଇବେ।
ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବିଡିଓ ସୁନୀଲ ସାମନ୍ତ, ଅତିରିକ୍ତ ବିଡିଓ ନିରଞ୍ଜନ ବେହେରା, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଏଇଇ ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂତନ ପେନସନ ପରିଚାଳନା ବ୍ୟବସ୍ଥା ଦ୍ୱାରା ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ଅଧିକ ସୁବିଧାରେ ସରକାରୀ ସହାୟତା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି।

0 Comments