Tej Odisha News

ଛତ୍ରପୁରରେ ଝଲସୁଛି ମା’ ଶ୍ୟାମାକାଳୀଙ୍କ ପୂଜାମଣ୍ଡପ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ୩ କିଲୋ ରୂପାରେ ନିର୍ମିତ ମା’ଙ୍କ ମୁକୁଟ ମୁଖ୍ୟ ଆକର୍ଷଣ

 


ଛତ୍ରପୁର, ୧୧/୧୧: ଛତ୍ରପୁର ସହରର ମାର୍କେଟ ରୋଡ୍‌ଠାରେ ମା’ ଶ୍ୟାମାକାଳୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ମାର୍କେଟ ରୋଡ୍‌ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଏହି ପୂଜାର ଆୟୋଜନ କରାଯାଇଛି।    ଚଳିତ ବର୍ଷ ପୂଜାମଣ୍ଡପର ମୁଖ୍ୟ ଆକର୍ଷଣ ସାଜିଛି ୩ କିଲୋ ରୂପାରେ ନିର୍ମିତ ମା’ଙ୍କ ସୁନ୍ଦର ମୁକୁଟ। ଏଥିସହ ଆକର୍ଷଣୀୟ ତୋରଣ ଓ ମନୋରମ ଆଲୋକସଜ୍ଜା ପୂଜାମଣ୍ଡପର ଶୋଭାକୁ ଦ୍ୱିଗୁଣିତ କରିଛି। ଏହି ମନୋରମ ସାଜସଜ୍ଜା ଦେଖିବା ସହ ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସନ୍ଧ୍ୟା ସମୟରେ ମହୁରୀ ଓ ଢୋଲର ତାଳେ ତାଳେ ଆଳତି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି।

ପଣ୍ଡିତ ସରୋଜ କୁମାର ଶତପଥୀ ଓ ମୋତିଲାଲ ପୁରୋହିତଙ୍କ ତତ୍ତ୍ୱାବଧାନରେ ପୂଜାବିଧି ସମ୍ପନ୍ନ ହେଉଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ଇ. ରାଜକୁମାର ଓ ଇ. ପବିତ୍ରା ପୂଜାକାର୍ଯ୍ୟ ତୁଲାଉଛନ୍ତି। ପଣ୍ଡିତ ସୁଦ୍ଧସିନ୍ଧୁ ଦାସ, ସାହେବ ନନ୍ଦ, ସୂର୍ଯ୍ୟକାନ୍ତ ଦାସ, ରାହୁଲ କୁମାର ଦାସ, କୃଷ୍ଣଚନ୍ଦ୍ର ରଥ, ରୋଶନ କୁମାର ଦାସ ଓ ସିପକ ତ୍ରିପାଠୀଙ୍କ ମନ୍ତ୍ରୋଚ୍ଚାରଣ ଓ ଚଣ୍ଡୀପାଠରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।

ଆସନ୍ତା ୧୩ ତାରିଖରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୧୪ ତାରିଖରେ ପୂର୍ଣ୍ଣାହୁତି ଏବଂ ୧୫ ତାରିଖରେ ମା’ଙ୍କ ବିସର୍ଜନ ଉତ୍ସବ ମହାଆଡ଼ମ୍ବରରେ ପାଳନ କରାଯିବ ବୋଲି ପୂଜା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

Post a Comment

0 Comments