ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଉପକୂଳବର୍ତ୍ତୀ, ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟବସ୍ଥା, ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। କେବଳ କାର୍ଯ୍ୟାଳୟରେ ବସି ନିର୍ଦ୍ଦେଶ ଦେବାରେ ସୀମିତ ନରହି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବୁଝାଇବା ସହ ବାତ୍ୟା ସମୟରେ ଘରେ ରହିବା, ଅଯଥାରେ ବାହାରକୁ ନଯିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସଚେତନ କରାଯାଉଛି।
ଅନ୍ୟପକ୍ଷରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ଜରୁରୀକାଳୀନ ସେବା ଯେପରି ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି।
ବିପଦ ସମୟରେ ପ୍ରଶାସନର ଏଭଳି ଲୋକାଭିମୁଖୀ ପଦକ୍ଷେପ ଜନସାଧାରଣଙ୍କ ମନରେ ଭରସା ସୃଷ୍ଟି କରିଛି। ତେବେ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ କରିବା ପାଇଁ ପ୍ରଶାସନ ସହ ଜନସାଧାରଣଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ। ସତର୍କତା, ସହଯୋଗ ଓ ସମୟୋଚିତ ପଦକ୍ଷେପ ହିଁ ବିପଦକୁ ମୁକାବିଲା କରିବାର ପ୍ରକୃତ ଶକ୍ତି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments