ଛତ୍ରପୁର, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଆକ୍ୱାନ୍’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ବିପଦସଙ୍କୁଳ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି କି ନାହିଁ, ତାହା ବିଧାୟକ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିଥିବା ବିଧାୟକ କହିଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାରୁ କୌଣସି ବ୍ୟକ୍ତି ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।
ଏହି ଗସ୍ତ ସମୟରେ ବିଧାୟକ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ରନ୍ଧା ଖାଦ୍ୟ ସଠିକ୍ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି କି ନାହିଁ, ତାହା ଯାଞ୍ଚ କରିଥିଲେ। ଏଥିସହ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ବିପଦ ସମୟରେ ସମସ୍ତଙ୍କ ସୁରକ୍ଷା ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ବିଧାୟକ ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ବାତ୍ୟା ମୁକାବିଲାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments