ଛତ୍ରପୁର, ୧୮/୧୧: ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ଜିଲ୍ଲାରେ ଜିରୋ କାଜୁଆଲିଟି ବା ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ଜିଲ୍ଲାପାଳ ଘନ ଘନ ବୈଠକ କରି ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ସମସ୍ତ ଲାଇନ୍ ବିଭାଗର ଅଧିକାରୀଙ୍କୁ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଡିଓ) ସମୀର କୁମାର ଜେନା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରୁଛନ୍ତି। ମଙ୍ଗଳବାର ସେ ଛତ୍ରପୁର ବ୍ଲକ୍ର ଚମାଖଣ୍ଡି ପଂଚାୟତ ଓ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ଏ. ତୋଟାପଲ୍ଲୀ ଗ୍ରାମ କୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କୁ ରନ୍ଧାଖାଦ୍ୟ ପରସିବା ସହ ସେମାନଙ୍କ ସହ ତଳେ ବସି ଭୋଜନ କରି ମାନ ଯାଞ୍ଚ କରିଥିଲେ । ଏଥିସହ ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା, ସ୍ଥାନାନ୍ତରଣ ଓ ଆବଶ୍ୟକ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ବିଡିଓଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ମଧ୍ୟ ପ୍ରସ୍ତୁତି ସମ୍ପର୍କରେ ବିଚାରବିମର୍ଶ କରିଥିଲେ।
ପରବର୍ତ୍ତୀ ସମୟରେ ସିଡିଓ ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆଗାଁ ବେଳାଭୂମି ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀଙ୍କୁ ବାତ୍ୟା ସମ୍ପର୍କରେ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ଯେପରି ସମୁଦ୍ରକୁ ନଯାଆନ୍ତି ଏବଂ ସୁରକ୍ଷିତ ସ୍ଥାନରେ ରହନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ।
ଏଥିସହ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି କି ନାହିଁ, ତାହା ଯାଞ୍ଚ କରିଥିଲେ। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଯେପରି ଠିକ୍ ସମୟରେ ରନ୍ଧାଖାଦ୍ୟ ଓ ଆବଶ୍ୟକ ସହାୟତା ମିଳିପାରିବ, ସେଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ପରେ ସିଡିଓ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଚମାଖଣ୍ଡି ସରପଞ୍ଚ ସି.ଏଚ୍. ମନୋଜ କୁମାର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍. ସଞ୍ଜୀବ ରେଡ୍ଡୀ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ପୌର ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଯୁବନେତା ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ, କେ. ରଘୁନାଥ ରେଡ୍ଡୀଙ୍କ ସମେତ ବ୍ଲକ୍ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଜିଲ୍ଲାରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ମୋଟ ୧୧୩୯ଟି ଆଶ୍ରୟସ୍ଥଳୀକୁ ୧ ଲକ୍ଷ ୨୧ ହଜାର ୫୯୭ ଜଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ରଖିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା। ତେଜ୍ ଓଡିଶା ।

0 Comments