କୋଦଳା (୨୧/୧୧/୨୦୨୬) ଦୀର୍ଘ ୧୩ ବର୍ଷ ପରେ ବାଣନଈ ହତ୍ୟା ମାମଲାରେ ଆସିଲା କୋର୍ଟଙ୍କ ରାୟ। ହତ୍ୟା ଅଭିଯୋଗରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ନାହାକ ଓ ବ୍ରିଟିଶ ନାହାକ। ଉଭୟେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଣନଈ ଗାଁର ବାସିନ୍ଦା। କୋଦଳା ଅତିରିକ୍ତ ଦୌରାଜଜ୍ଙ୍କ କୋର୍ଟ ଏହି ରାୟ ଶୁଣାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ସୁପାରିଶ କରିଛନ୍ତି।
ସୂଚନା ଅନୁସାରେ, ୨୦୧୩ ମସିହା ଅକ୍ଟୋବର ୧୩ ତାରିଖ ରାତିରେ ବାଣନଈ ଗାଁର ଦୁର୍ଯ୍ୟୋଧନ ନାହାକଙ୍କ ଘରେ କିଛି ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଧରି ପଶିଥିଲେ। ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ଯ୍ୟୋଧନଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ନମ୍ବର ୧୮୬/୨୦୧୩ ରୁଜୁ ହୋଇଥିଲା।
ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଚାର୍ଜସିଟ୍ ଦାଖଲ ହୋଇଥିଲା। ତେବେ ଚାର୍ଜସିଟ୍ ଦାଖଲ ପରେ ସନ୍ତୋଷ ନାହାକ ଓ ବ୍ରିଟିଶ ନାହାକ ଫେରାର ରହିଥିଲେ। ପରବର୍ତ୍ତୀ ସମୟରେ ସନ୍ତୋଷ ନାହାକଙ୍କୁ ୨୦୨୫ ନଭେମ୍ବର ୩୦ ତାରିଖରେ ଏବଂ ବ୍ରିଟିଶ ନାହାକଙ୍କୁ ୨୦୨୬ ଫେବୃଆରୀ ୨୦ ତାରିଖରେ ପୋଲିସ ଗିରଫ କରିଥିଲା।
ଦୀର୍ଘ ଦିନ ଧରି ଚାଲିଥିବା ଏହି ମାମଲାର ଶୁଣାଣି କରି ଗତ ନଭେମ୍ବର ୨୦ ତାରିଖରେ କୋଦଳା ଅତିରିକ୍ତ ଦୌରାଜଜ୍ଙ୍କ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁଯାୟୀ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି। ସେହିପରି ଧାରା ୪୫୦ ଅନୁଯାୟୀ ୫ ବର୍ଷ, ଧାରା ୨୦୧ ଅନୁଯାୟୀ ୨ ବର୍ଷ ଏବଂ ଧାରା ୧୪୭ ଅନୁଯାୟୀ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଆଦେଶ ହୋଇଛି। ଏଥିସହ ଧାରା ୩୪୧ ଅନୁଯାୟୀ ୧୫ ଦିନ ସାଧାରଣ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି କୋର୍ଟ। ତେବେ ସମସ୍ତ ଦଣ୍ଡ ଏକକାଳୀନ ଚାଲିବ।
ଅନ୍ୟପଟେ ମୃତକ ଦୁର୍ଯ୍ୟୋଧନ ନାହାକଙ୍କ ଉତ୍ତରାଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ସୁପାରିଶ କରିଛନ୍ତି। ଏହି ମାମଲାର ତଦନ୍ତ ତତ୍କାଳୀନ ଥାନାଧିକାରୀ ସ୍ୱର୍ଗତ ଏସ୍.ଏଲ୍.କେ. ପ୍ରସାଦ ଆରମ୍ଭ କରିଥିବା ବେଳେ ଥାନାଧିକାରୀ ଦିଲ୍ ରଞ୍ଜନ ପଟ୍ଟନାୟକ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିଥିଲେ। ରାଜ୍ୟ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରା ଓ କେ.ପି. ମହାପାତ୍ର ମାମଲା ପରିଚାଳନା କରିଥିଲେ।ଗମ୍ଭୀର ଅପରାଧ ମାମଲାରେ ଶୀଘ୍ର ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡବିଧାନ ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ଗଞ୍ଜାମ ପୋଲିସ ପ୍ରତିବଦ୍ଧ ବୋଲି ଗଞ୍ଜାମ ଏସ୍ପିଙ୍କ ପକ୍ଷରୁ କୁହାଯାଇଛି।
ରିପୋର୍ଟ – ତେଜ ଓଡ଼ିଶା

0 Comments