Tej Odisha News

ଶିଶୁ ଦିବସରେ ବନ୍ୟା ପ୍ରଭାବିତ ଆସିକା ଓ ଧରାକୋଟ ଅଞ୍ଚଳର ଶିଶୁଙ୍କ ସହ ସମୟ ବିତାଇଲେ ଗଞ୍ଜାମ ଜିଲ୍ଲାପାଳ

 


ଗଞ୍ଜାମ :୧୪/୧୧/୨୦୨୬: ଶିଶୁ ଦିବସ ଅବସରରେ ବନ୍ୟା ପ୍ରଭାବିତ ଅଞ୍ଚଳର ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଆଜି ଆସିକା ଓ ଧରାକୋଟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ଶିଶୁମାନଙ୍କ ସହ ଶିଶୁ ଦିବସ ପାଳନ କରିଥିଲେ। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲାପାଳ ଆସିକାସ୍ଥିତ ବନ୍ୟା ପ୍ରଭାବିତ ହରିହର ହାଇସ୍କୁଲର ୩୭୮ ଜଣ, ବସ୍‌ଷ୍ଟାଣ୍ଡ ପ୍ରାଥମିକ ବିଦ୍ୟାଳୟର ୩୫ ଜଣ, କେ. ନୂଆପଲ୍ଲୀ ବିଦ୍ୟାଳୟର ୪୬ ଜଣ, ଧରାକୋଟ ବ୍ଲକର ଜାହାଡ଼ା ଉଚ୍ଚ ବିଦ୍ୟାଳୟର ୨୧୫ ଜଣ, ସ୍ୱପ୍ନେଶ୍ୱର ପ୍ରାଥମିକ ବିଦ୍ୟାଳୟର ୫୯ ଜଣ, ଜାହାଡ଼ା ନୂଆସାହି ପ୍ରାଥମିକ ବିଦ୍ୟାଳୟର ୧୧୯ ଜଣ ଏବଂ ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୨୭ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ କିଟ୍ ବଣ୍ଟନ କରିଥିଲେ।

ଏହି ଶିକ୍ଷା କିଟ୍‌ରେ ସ୍କୁଲ ବ୍ୟାଗ୍, କମ୍ପାସ ବକ୍ସ, କଲମ, ପେନସିଲ ଓ ପାଣି ବୋତଲ ଆଦି ରହିଥିଲା। ଶିଶୁ ଦିବସରେ ଏହି ଶିକ୍ଷା ସାମଗ୍ରୀ ପାଇ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିଜେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରିବା ସହ ସେମାନଙ୍କ ସହ ଏକାଠି ବସି ଭୋଜନ କରିଥିଲେ। ଭୋଜନ ପରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନଙ୍କ ମନୋବଳ ବଢ଼ାଇଥିଲେ। ନିଷ୍ଠା, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଓ ଏକାଗ୍ରତାର ସହ ପାଠପଢ଼ି ଜୀବନରେ ସଫଳ ମଣିଷ ହେବାକୁ ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ। 

ପରେ ଜିଲ୍ଲାପାଳ ଧରାକୋଟସ୍ଥିତ ବାଲ୍ମିକେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ପାଠ୍ୟ ଉପକରଣ କିଟ୍ ବଣ୍ଟନ କରିଥିଲେ। 

ଏହି ପରିଦର୍ଶନ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାନିଶ ବେହେରା, ଆସିକା ବିଡିଓ ରାଜେନ୍ଦ୍ର ନାୟକ, ଆସିକା ତହସିଲଦାର ସଙ୍ଗୀତା ସେନ, ଧରାକୋଟ ବିଡିଓ ଲିପିନା ଦାଶ, ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାକେଶ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

Post a Comment

0 Comments