Tej Odisha News

ଯୁବପୀଢ଼ିଙ୍କୁ ଘାରିଛି ଡାଇବେଟିସ୍ ଚିନ୍ତା କେମିତି ଜୀଇଁବେ ଡାଇବେଟିସ୍ ମୁକ୍ତ ଜୀବନ ?

ଡାଇବେଟିସ୍। ଏହା ଏମିତି ଏକ ରୋଗ, ଯାହା ଶରୀରକୁ ଭିତରୁ ଦୁର୍ବଳ କରିଦିଏ, ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରିଦିଏ। ଏହି ରୋଗ ଏବେ ଘାତକ ସାଜିଛି ସାରା ଓଡ଼ିଶାରେ। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ିଙ୍କୁ ଏବେ ମାଡ଼ିବସୁଛି। ତା’ର ମୁଖ୍ୟ କାରଣ, ଅନିୟମିତ ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ଅସନ୍ତୁଳିତ ଖାଦ୍ୟ ଓ ମାନସିକ ଚାପ। ତେବେ କେମିତି ଜୀଇଁବେ ଡାଇବେଟିସ୍ ମୁକ୍ତ ଜୀବନ ?

ସାରା ଦେଶରେ ଆଜି ଲକ୍ଷ ଲକ୍ଷ ଲୋକ ପଡୁଛନ୍ତି ଡାଇବେଟିସ୍ ରୋଗରେ। ସେଥିପାଇଁ ଭାରତକୁ ଡାଇବେଟିସ୍ କ୍ୟାପିଟାଲ୍ ବୋଲି ବି କୁହାଗଲାଣି। ବିଭିନ୍ନ ସ୍ୱାସ୍ଥ୍ୟ ସର୍ଭେ ଓ ଗବେଷଣା ରିପୋର୍ଟ କହୁଛି, ଓଡ଼ିଶାରେ ୪୦ ଲକ୍ଷରୁ ଅଧିକ ମଧୁମେହ ରୋଗୀ ଅଛନ୍ତି। ତା’ମଧ୍ୟରୁ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ଶିକାର ହେଉଛନ୍ତି ଏହି ରୋଗରେ। 

କେବଳ ବୟସ୍କ ନୁହଁନ୍ତ, ଯୁବପୀଢ଼ିଙ୍କୁ ଧରିଛି ଡାଇବେଟିସ୍ ରୋଗ। ବିଶେଷ କରି ୨୫ରୁ ୩୫ ବର୍ଷ ବୟସର ଯୁବକ ଯୁବତୀଙ୍କୁ ଘାରିଛି ମଧୁମେହ ଚିନ୍ତା। ବିଶେଷଜ୍ଞଙ୍କ କହିବା କଥା, ବର୍ତ୍ତମାନର ଯୁବପୀଢ଼ିଙ୍କ ଜୀବନ ଶୈଳୀ ସହ ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟଫୁଡ୍ ପ୍ରତି ଆକର୍ଷଣ, ଅତ୍ୟଧିକ ଚିନିଯୁକ୍ତ ପାନୀୟ, ମୋଟାପଣ, ବ୍ୟାୟାମର ଅଭାବ ଓ ବଂଶଗତ କାରଣ ମଧୁମେହର ଆଶଙ୍କାକୁ ବଢ଼ାଉଛି। 

ଡାଇବେଟିସ୍ ଏକ ଦୀର୍ଘକାଳୀନ ରୋଗ। ଶରୀରରେ ଗ୍ଲୁକୋଜ୍ ବା ଶର୍କରାରେ ପରିଣତ ହୁଏ ଖାଦ୍ୟ। ଏହି ଗ୍ଲୁକୋଜ୍ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ କୋଷକୁ ଯାଏ। ଫଳରେ ଶରୀରରେ ଇନସୁଲିନ୍ ପର୍ଯ୍ୟାପ୍ତ ପରିମାଣରେ ତିଆରି ନହେଲେ ରକ୍ତରେ ଶର୍କରାର ପରିମାଣ ବଢ଼ିଯାଏ। ଯାହାକୁ କୁହାଯାଏ ଡାଇବେଟିସ୍। 

ସଠିକ୍ ସମୟରେ ଚିକିତ୍ସା ନକଲେ ହୃଦରୋଗ, କିଡନୀ, ବ୍ରେନ ସହ ଆଖି ଉପରେ ପ୍ରଭାବ ପକାଇଥାଏ। ଲକ୍ଷଣ ହେଉଛି, ବାରମ୍ବାର ପରିସ୍ରା ସହ ଅତ୍ୟଧିକ ଶୋଷ ଏବଂ ଭୋକ ଲାଗିବା। ବିନା କାରଣରେ ଓଜନ କମିବା, ଅଧିକ ଥକ୍କା ଲାଗିବା, ଆଖିକୁ ଝାପସା ଦେଖାଯିବା ଏବଂ କୌଣସି ଘା’ ହୋଇଥିଲେ ଶୀଘ୍ର ନଶୁଖିବା ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଇନେବା ଉଚିତ। ସେହିଭଳି ଅଧିକ ପନି ପରିବା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଫଳରସ ବଦଳରେ ସମ୍ପୂର୍ଣ୍ଣ ଫଳ ଖାଇବା ଉଚିତ। ମିଠା, ଥଣ୍ଡା ପାନୀୟ ଓ ଅତ୍ୟଧିକ ଚିନିକୁ ଏଡ଼ାନ୍ତୁ। ଅତ୍ୟଧିକ ତେଲ ଓ ଫ୍ରାଏଡ୍ ଆଇଟମ୍ ସହ ନିଶା ପାନୀୟଠୁ ଦୂରରେ ରୁହନ୍ତୁ। ପ୍ରତିଦିନ ଅତି କମରେ ୩୦ ମିନିଟ୍ ନିଶ୍ଚୟ ଚାଲନ୍ତୁ। 

ବିଶ୍ବ ଡାଇବେଟିସ୍ ଦିବସ ଅବସରରେ ରାଜ୍ୟବ୍ୟାପି ଚାଲିଛି ସଚେତନତା ମୂଳକ କାର୍ଯ୍ୟକ୍ରମ। ତେବେ ଗୋଟିଏ କଥା, ଡାଇବେଟିସ୍ ହେବା ଅର୍ଥ ଜୀବନରେ ପୂର୍ଣ୍ଣଚ୍ଛେଦ ନୁହେଁ। ବରଂ ନିଜ ଜୀବନକୁ ନୂଆ ଢଙ୍ଗରେ ବଞ୍ଚିବାର ଏକ ସତର୍କ ସୂଚନା।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା 

Post a Comment

0 Comments