Tej Odisha News

ସାମ୍ଭାବ୍ୟ ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି

 

ଛତ୍ରପୁର, ୧୮/୧୧: ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନହୁଏ, ସେଥିପାଇଁ ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବିଶେଷକରି ଛତ୍ରପୁର ବ୍ଲକ୍‌ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କଚ୍ଚା ଘରେ ବସବାସ କରୁଥିବା ପରିବାର ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି।

ଏହି ସ୍ଥାନାନ୍ତରଣ ପ୍ରକ୍ରିୟାରେ ନିଜେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ଉପସ୍ଥିତ ରହି ସ୍ଥିତି ତଦାରଖ କରିଥିଲେ। ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ ଏବଂ ଚମାଖଣ୍ଡି ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପୋଲିସ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବାତ୍ୟା ସମୟରେ ଘରେ ରହିବା ଅପେକ୍ଷା ଆଶ୍ରୟସ୍ଥଳୀରେ ରହିବା ଅଧିକ ସୁରକ୍ଷିତ ବୋଲି ବୁଝାଇବା ସହ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ।

ପ୍ରଶାସନ ପକ୍ଷରୁ ନିକଟସ୍ଥ ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ସେଠାରେ ଲୋକଙ୍କ ରହିବା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତି ରହିଛି। ଏଥିସହ ବାତ୍ୟା ସମୟରେ ନିଜ ତଥା ପରିବାରର ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ଅପିଲ୍ କରାଯାଇଛି।

ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପହଞ୍ଚାଇବା ଏବଂ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଜାରି ରହିଛି।

ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା 


Post a Comment

0 Comments