କଟକ (୧୮/୧୧/୨୦୨୬) ନ୍ୟାୟ ପାଇବା ପ୍ରତ୍ୟେକ ନାଗରିକଙ୍କର ସାମ୍ବିଧାନିକ ଅଧିକାର। ଆଉ ଯଦି ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ହିଁ ରହିବ ମାନବ ସମ୍ବଳର ଅଭାବ, ତେବେ ସାଧାରଣ ଜନତା ଯିବେ କୁଆଡ଼େ ? ଓଡ଼ିଶା ହାଇକୋର୍ଟରେ ଆଜି ଏଭଳି ଅଭାବନୀୟ ସ୍ଥିତି। ଶୂନ୍ୟ ହୋଇପଡ଼ିଛି ଅଧାରୁ ଅଧିକ ବିଚାରପତି ପଦ। ୩୩ ଜାଗାରେ ଅଛନ୍ତି ମାତ୍ର ୧୩ ଜଜ୍।
ଫଳରେ ମାମଲା ଗୁଡ଼ିକର ତୁରନ୍ତ ବିଚାର ହୋଇପାରୁନି, ଗଡୁଛି ତାରିଖ ପରେ ତାରିଖ। ସମସ୍ତଙ୍କ ଉପରେ ପଡୁଛି ପ୍ରବଳ ଚାପ। ଏଭଳି ସ୍ଥିତିରେ କଟକ ଆସୁଥିବା ରାଷ୍ଟ୍ରପତିଙ୍କୁ ବିଚାରପତି ପଦବୀ ପ୍ରସଙ୍ଗ ଭେଟିବା ପାଇଁ ଯୋଜନା ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍।
ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନ୍ୟାୟର ଶେଷ ଆଶା ଓ ଭରସାର ମନ୍ଦିର। କିନ୍ତୁ ଏହି ନ୍ୟାୟର ମନ୍ଦିରରେ ବଡ଼ ସଙ୍କଟ। କାରଣ ଯେଉଁମାନେ ନ୍ୟାୟ ଦେଇଥାନ୍ତେ, ସେମାନଙ୍କ ସଂଖ୍ୟା ଅଭାବ। କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ। ବିଚାରପତିଙ୍କ ସଂଖ୍ୟା ଅଭାବରୁ ଏଠି ମହକିଲ ଭୋଗୁଛନ୍ତି ଦୁର୍ଦ୍ଦଶା। ତାରିଖ ପରେ ତାରିଖ ଧରି ଖର୍ଚ୍ଚାନ୍ତ ହୋଇ ଧାଇଁ ଆସୁଛନ୍ତି ସିନା, ଘୁଞ୍ଚି ଘୁଞ୍ଚି ଯାଉଛି ନ୍ୟାୟ ପାଇବାର ଆଶା।
ହାଇକୋର୍ଟରେ ଏସବୁ ଦୁର୍ଦ୍ଦଶା ପଛର ମୂଳ କାରଣ ହେଲା ବିଚାରପତି ସଙ୍କଟ। କାରଣ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ଅବସର ପରଠୁ ୧୩ରେ ପହଞ୍ଚିଛି ସଂଖ୍ୟା। ଏଇ ମଝିରେ ଭାରପ୍ରାପ୍ତ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି। ଗତ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ ୪ ବିଚାରପତିଙ୍କ ନାଁ ଆଇନ ମନ୍ତ୍ରାଳୟକୁ ସୁପାରିଶ କରିଥିଲା। ତେବେ ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦବୀ ଅନୁଯାୟୀ ରହିବା କଥା ମୋଟ ୩୩ ବିଚାରପତି।
କିନ୍ତୁ ଅବସର ଓ ବଦଳି ପାଇଁ ଗତ ଡିସେମ୍ବରରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ୨୦ରୁ ଖସି ୧୩ରେ ପହଞ୍ଚିଛି। ଅପରପକ୍ଷେ ଲକ୍ଷାଧିକ ମାମଲା ବିଚାର ନ ହୋଇ ପଡ଼ିରହିଛି। ଗତ ଅଗଷ୍ଟରେ ସଂସଦରେ ଉପସ୍ଥାପିତ ତଥ୍ୟ କହୁଛି, ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୦ ହଜାରରୁ ଅଧିକ ମାମଲା ପଡ଼ିରହିଛି। ତା’ମଧ୍ୟରୁ ୩୮ ହଜାର ୯୩୬ଟି ମାମଲାର ବିଚାର ହୋଇପାରିନି ଦଶନ୍ଧିରୁ ଅଧିକ ସମୟ ଧରି।
ବିଚାରପତି ନିଯୁକ୍ତି ଦାବି କରି ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛି ହାଇକୋର୍ଟ ବାର୍ ଆସୋସିଏସନ। ରାଜ୍ୟପାଳଙ୍କ ଠାରୁ ରାଷ୍ଟ୍ରପତିଙ୍କ ଯାଏଁ ଚିଠି ବି ଲେଖାଯାଇଛି। ଏ ପ୍ରସଙ୍ଗରେ ଆଜି ବସିଥିଲା ସାଧାରଣ ପରିଷଦ ବୈଠକ। ତଥାପି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି। ଆସନ୍ତାକାଲି ପୁଣି ବସିବ ବୈଠକ। ଆସନ୍ତା ୨୪ରେ କଟକ ଆସୁଥିବା ରାଷ୍ଟ୍ରପତିଙ୍କୁ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଭେଟିବା ପାଇଁ ଯୋଜନା ରଖିଥିବା କହିଛି ବାର୍ ଆସୋସିଏସନ।
ତାରିଖ ପରେ ତାରିଖ, ଅପେକ୍ଷା ପରେ ଅପେକ୍ଷା। ଏଭଳି ସ୍ଥିତିରେ ବିଚାରପତିଙ୍କ ଅଭାବ ପୂରଣ ସହ ବିଚାରାଧୀନ ମାମଲାର ଚାପ କମାଇବା ହାଇକୋର୍ଟ ପାଇଁ ଏବେ ସବୁଠୁ ବଡ଼ ଆହ୍ୱାନ।
ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।

0 Comments