ଛତ୍ରପୁର, ୧୮/୧୧: ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜୋରଦାର ହୋଇଛି ପ୍ରଶାସନିକ ପ୍ରସ୍ତୁତି। ବାତ୍ୟା ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କୌଣସି ଅଞ୍ଚଳରେ ଲୋକେ ଜଳବନ୍ଦୀ ହେଲେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୨ଟି ବ୍ଲକକୁ ୨୫ଟି ଘରୋଇ ଡଙ୍ଗା ପଠାଯାଇଛି।
ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମର ମତ୍ସ୍ୟଜୀବୀଙ୍କଠାରୁ ଏହି ୨୫ଟି ଡଙ୍ଗା ସଂଗ୍ରହ କରାଯାଇଛି। ପରେ ଗାଡ଼ି ଯୋଗେ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟକୁ ଡଙ୍ଗାଗୁଡ଼ିକ ପଠାଯାଇଛି। ହାଇଡ୍ରା ସହାୟତାରେ ଡଙ୍ଗାଗୁଡ଼ିକୁ ଉଠାଇ ଗାଡ଼ିରେ ଲୋଡ୍ କରାଯିବା ପରେ ନିର୍ଦ୍ଧାରିତ ବ୍ଲକଗୁଡ଼ିକରେ ପହଞ୍ଚାଯାଇଛି।
ଆସିକା, ଭଞ୍ଜନଗର, ସାନଖେମୁଣ୍ଡି, ଧରାକୋଟ, ବେଲଗୁଣ୍ଠା, ପାତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ଼, ଚିକିଟି, ଗଞ୍ଜାମ, ହିଞ୍ଜିଳିକାଟୁ ଓ ସୋରଡ଼ା ବ୍ଲକକୁ ଏହି ଡଙ୍ଗା ପଠାଯାଇଛି। ଫଳରେ ବାତ୍ୟା ପ୍ରଭାବରେ ଅଧିକ ବର୍ଷା ହୋଇ ବନ୍ୟା ପରିସ୍ଥିତି ଉପୁଜିଲେ ଉଦ୍ଧାରକାରୀ ଦଳଙ୍କୁ ତୁରନ୍ତ ଡଙ୍ଗା ଉପଲବ୍ଧ ହୋଇପାରିବ।
ଅନ୍ୟପକ୍ଷରେ ଜିଲ୍ଲାରେ ନିୟୋଜିତ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ପାଖରେ ଥିବା ଡଙ୍ଗା ସହ ଏହି ଅତିରିକ୍ତ ଘରୋଇ ଡଙ୍ଗା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଶେଷ ସହାୟକ ହେବ। ଜିଲ୍ଲାରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ସମୟରେ ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ପ୍ରସ୍ତୁତି ଜାରି ରହିଛି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments