ଛତ୍ରପୁର, ୧୯/୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିଛି । ବାତ୍ୟାର ଗତିପଥ ଓ ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଜିଲ୍ଲାର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସହ ଲୋକଙ୍କ ସ୍ଥାନାନ୍ତରଣ ଜାରି ରହିଛି। ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତଳିଆ ଅଞ୍ଚଳ ସହ ଓରସାକ୍ର ସାଟେଲାଇଟ୍ ଚିତ୍ର ମାଧ୍ୟମରେ ଚିହ୍ନଟ ହୋଇଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସେହିପରି ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧୦୮୦ରୁ ଊର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଯାହାଦ୍ୱାରା ବାତ୍ୟା ସମୟରେ ପ୍ରସବଜନିତ ଜରୁରୀକାଳୀନ ସମସ୍ୟାକୁ ସହଜରେ ମୁକାବିଲା କରାଯାଇପାରିବ। ଅନ୍ୟପକ୍ଷରେ ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍ ଏବଂ ୩ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ବାତ୍ୟା ସମୟରେ ବିଦ୍ୟୁତ୍ ଓ ମୋବାଇଲ୍ ନେଟୱାର୍କ ସେବା ବିଚ୍ଛିନ୍ନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି। ଏଥିପାଇଁ ଏୟାରଟେଲ୍, ଜିଓ ସମେତ ବିଭିନ୍ନ ଟେଲିକମ୍ କମ୍ପାନୀ ପକ୍ଷରୁ ୧୦ଟି 'ସେଲ୍ ଅନ୍ ହ୍ୱିଲ୍ସ' ଗାଡ଼ିର ବ୍ୟବସ୍ଥା କରାଯାଇଛି। ଏଥିସହ ବିକଳ୍ପ ଯୋଗାଯୋଗ ପାଇଁ ସାଟେଲାଇଟ୍ ଫୋନ୍ ମଧ୍ୟ ମହଜୁଦ ରଖାଯାଇଛି।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ସୁବିଧା ଓ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ କାର୍ଯ୍ୟ କରୁଛି। ଏଭଳି ସ୍ଥିତିରେ ସ୍ଥାନୀୟ ଅଧିକାରୀ ଓ କର୍ମଚାରୀଙ୍କ ସ୍ଥାନାନ୍ତରଣ ନିର୍ଦ୍ଦେଶକୁ ମାନିବା ସହ ଜନସାଧାରଣ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments