Tej Odisha News

ବିପଦ ବେଳେ ଲୋକଙ୍କ ପାଖରେ ଛତ୍ରପୁର ବିଧାୟକ; ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ, ଲୋକଙ୍କୁ ପରଶିଲେ ରନ୍ଧା ଖାଦ୍ୟ।

 

ଛତ୍ରପୁର, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଆକ୍ୱାନ୍’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ତତ୍ପର ହୋଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧାର ତଦାରଖ କରିଛନ୍ତି।

ଏହି ଅବସରରେ ବିଧାୟକ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗୋଖରକୁଦା ଓ ବଳଦିଆଡିହ ଗ୍ରାମସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜେ ରନ୍ଧା ଖାଦ୍ୟ ପରଶିଥିଲେ। ଏଥିସହ ଖାଦ୍ୟର ମାନ ଓ ପରିମାଣ, ବଣ୍ଟନ ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ସେହିପରି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଓ ଆର୍ଯ୍ୟପଲ୍ଲୀ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ବାତ୍ୟା ସମ୍ପର୍କରେ ସଚେତନ କରାଇଥିଲେ। ଆଶ୍ରୟସ୍ଥଳୀରେ ଯେପରି ଲୋକଙ୍କୁ ଆବଶ୍ୟକୀୟ ସୁବିଧା ମିଳିବ, ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। 

ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକମାନେ ନିଜ ସୁରକ୍ଷା ପାଇଁ ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବା ସହ ପ୍ରଶାସନର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ବିଧାୟକ ନିବେଦନ କରିଛନ୍ତି। ବିପଦ ସମୟରେ ଜନସାଧାରଣଙ୍କ ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଧାୟକଙ୍କ ଏହି ତତ୍ପରତାରୁ ପ୍ରତିଫଳିତ ହୋଇଛି।

ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

Post a Comment

0 Comments