ବେଗୁନିଆପଡ଼ା (୧୯/୧୧/୨୦୨୬) ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି କାଳିମେଘି ପଞ୍ଚାୟତ। ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛି ପଞ୍ଚାୟତ ପ୍ରଶାସନ। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଗୁଆ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବିଶେଷ କରି ଲୁହାକୋଟ, ଯାପଟା ଓ ସାରଣିଆ ଗ୍ରାମର ଲୋକଙ୍କୁ ନିଜ ଘରୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳୀରେ ରଖାଯାଇଛି।
ପଞ୍ଚାୟତର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଭଳି ଭାବେ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକଙ୍କ ଖାଦ୍ୟପେୟ ସହ ଅନ୍ୟାନ୍ୟ ଆବଶ୍ୟକତା ଉପରେ ପଞ୍ଚାୟତ ପକ୍ଷରୁ ନଜର ରଖାଯାଉଛି।
ଏହି କ୍ରମରେ ଆଜି ସନ୍ଧ୍ୟାରେ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ସେଠାରେ ଚାଲିଥିବା ସମସ୍ତ ବ୍ୟବସ୍ଥାର ନିଜେ ତଦାରଖ କରିବା ସହ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଏପରିକି ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରି ସେମାନଙ୍କ ସୁବିଧା ଓ ଅସୁବିଧା ବୁଝିଥିଲେ।
ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ସେଥିପାଇଁ ପଞ୍ଚାୟତ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଇବାର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

0 Comments